ସିମୁଳିଆ : ବିଲ ମଝିରେ ବିଦ୍ୟାଳୟ ଅଛି, ହେଲେ ସେଠାକୁ ଯିବା ପାଇଁ ରାସ୍ତା ନାହିଁ। ପାଣି ଓ କାଦୁଅରେ ପଶି ପିଲାମାନେ ଯାଉଛନ୍ତି। ଏପରି କି ପାଣି ନାଳ ଉପରେ ଥିବା ବାଉଁଶ ହିଡ଼କୁ ଭରସା କରି ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଓ ଶିକ୍ଷକ ଯାତାୟାତ କରୁଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ସିମୁଳିଆ ବ୍ଲକ ଅଧୀନ ବାଉରିପଦା ପଞ୍ଚାୟତର ଢିଲି ଗ୍ରାମରେ । ସିମୁଳିଆ ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୫କି.ମି. ଦୂରରେ ଅବସ୍ଥିତ ଏହି ବିଦ୍ୟାଳୟର ସମସ୍ୟା ନେଇ ସାଧାରଣରେ ଅସନ୍ତୋଷ ବଢ଼ିଚାଲିଛି । ଢ଼ିଲି ଅଞ୍ଚଳରେ ବିଶେଷକରି ଅନୁସୂଚିତ ଜାତି ଶ୍ରେଣୀର ଲୋକେ ବସବାସ କରନ୍ତି। ଗାଁର ଛାତ୍ରୀଛାତ୍ରଙ୍କ ପାଠପଢ଼ା ପାଇଁ ୨୦୧୯ରୁ ସ୍ଥାନୀୟ ଅଞ୍ଚଳର ନବ କିଶୋର ମଲିକଙ୍କ ନାମରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଚାଲିଛି I ନବ କିଶୋରଙ୍କ ପିଲାମାନେ ପ୍ରଦାନ କରିଥିବା ୧୧ ଡିସିମିଲ ଜମିରେ ବିଲ ମଝିରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଶିଶୁବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୨ ଛାତ୍ରୀ ଓ ୭ ଛାତ୍ର ମୋଟ ୧୯ଜଣ ଏଠାରେ ପଢୁଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ନିର୍ମଳା ଦେବନାଥ ଓ ସହକାରୀ ଶିକ୍ଷକ ଗୁରୁପ୍ରସାଦ ସିଂ ଶିକ୍ଷାଦାନ କରୁଛନ୍ତି। ତେବେ ଧାନ ବିଲ ମଝିରେ ଥିବା ଏହି ବିଦ୍ୟାଳୟ ନିକଟକୁ ଯାତାୟାତ ପାଇଁ କୌଣସି ସୁବିଧା ନାହିଁ। କାଦୁଅ, ପାଣିରେ ପଶି ଶିକ୍ଷକ ଓ ଛାତ୍ରୀଛାତ୍ର ଯାତାୟାତ କରୁଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକମାନେ କହିଛନ୍ତି ଯେ ଛାତ୍ରୀଛାତ୍ରଙ୍କ ଲାଗି ବିଦ୍ୟାଳୟକୁ ରାସ୍ତା ନ ଥିବା ଅତ୍ୟନ୍ତ ଦୁଃଖର କଥା । ଗାଁ ରାସ୍ତା ପାଖରେ ସାଇକେଲ କିମ୍ବା ମୋଟର ସାଇକେଲ ରଖି ପ୍ୟାଣ୍ଟ ଟେକି ପାଣି କାଦୁଅରେ ପଶି ସ୍କୁଲ ନିକଟକୁ ଯିବା ପାଇଁ ପଡ଼ୁଛି । ସେହିପରି ଗାଁର ଅଭିଭାବକ ମାନେ କହନ୍ତି ଯେ ରାସ୍ତା ନ ଥିବାରୁ ବର୍ଷାଦିନେ ଅବସ୍ଥା କହିଲେ ନ ସରେ। ପାଣି ନାଳ ଉପରେ ଥିବା ବାଉଁଶ ଚାରରେ ଗଲାବେଳେ ଗୋଡ଼ ଖସିଯିବାର ଭୟ ରହିଛି। ନାଳ ପାରି ହେଲେ ହିଡ଼ ଧାନ ବିଲ ସହ ମିଶି ଯାଇଥିବାରୁ କାଦୁଅରେ ଯିବା ପାଇଁ ପଢୁଛି। ସେହିପରି ପ୍ରଧାନ ଶିକ୍ଷୟିତ୍ରୀ ଦେବନାଥ କହନ୍ତି, ରାସ୍ତା ସମସ୍ୟା ସହିତ ବିଦ୍ୟାଳୟ ଚାରିପାଖରେ ଖାଲ ରହିଛି। ଗତ ୨ବର୍ଷ ହେଲା ବିଦ୍ୟୁତ୍ ସଂଯୋଗ ପାଇଁ ଟଙ୍କା ଜମା କରାଯାଇଥିଲେ ହେଁ ଅଦ୍ୟାବଧି ବିଦ୍ୟୁତ ଯୋଗ ହୋଇନାହିଁ | ତେବେ କେବେ ଏହି ରାସ୍ତା ନିର୍ମାଣ ହେବ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? (ବ୍ୟୁର ରିପୋର୍ଟ)

