ପୁଣି ବିବାଦରେ ଛନ୍ଦି ହେଲେ ନାଣ୍ଡୁ ବାବୁ!

ପୁଣି ବିବାଦରେ ତୁଳସୀ ଯାତ୍ରା ମାଲିକ ନାଣ୍ଡୁ ବାବୁ। ବିଚ ରାସ୍ତାରେ ବନ୍ଧା ପଡ଼ିଛି ଯାତ୍ରା ଗାଡ଼ି। ବାଲେଶ୍ୱର ଜିଲ୍ଲା ବସ୍ତା ମା ମଙ୍ଗଳା ଯାତ୍ରା କମିଟି ପକ୍ଷରୁ ତୁଳସୀ ଗଣନାଟ୍ୟର ଚାରୋଟି ଗାଡିକୁ ବିଚ ରାସ୍ତାରେ ଅଟକ ରଖିଥିବା ଜଣାପଡିଛି।

ସୂଚନା ଅନୁସାରେ ମା ମଙ୍ଗଳା ଯାତ୍ରା କମିଟି,ବସ୍ତା ପକ୍ଷରୁ ଆସନ୍ତା 2026 ଜାନୁୟାରୀ ମାସ ପାଇଁ ତୁଳସୀ ଯାତ୍ରା ପାର୍ଟିକୁ ବୁକିଂ କରାଯାଇଥିଲା. ତେବେ ଦେଢ଼ ମାସ ତଳେ ଯାତ୍ରା ପାର୍ଟିର ମାଲିକ ନାଣ୍ଡୁ ବାବୁ ମା ମଙ୍ଗଳା କମିଟିକୁ ଫୋନ କରି ତୁରନ୍ତ ଦୁଇ ଲକ୍ଷ ଟଙ୍କା ଅଗ୍ରିମ ଆଡ଼ଭାନ୍ସ ଆକାରରେ ମାଗିଥିଲେ। ଆଡ଼ଭାନ୍ସ ନ ଦେଲେ ଜାନୁୟାରୀ ମାସରେ ତୁଳସୀ ଯାତ୍ରା ଦେଇ ହେବ ନାହିଁ କହିବାରୁ କମିଟି ପକ୍ଷରୁ ତୁରନ୍ତ ଦୁଇ ଲକ୍ଷ ଟଙ୍କା ପଠାଯାଇଥିଲା। ହେଲେ ଟଙ୍କା ନେବାର କିଛି ଦିନ ପରେ ନିଜେ ମାଲିକ ନାଣ୍ଡୁ ବାବୁ ବସ୍ତା ଅଞ୍ଚଳକୁ ଯାତ୍ରା ପାର୍ଟି ଦେଇହେବ ନାହିଁ ବୋଲି କମିଟିକୁ ରୋକଠୋକ ମନା କରିଦେଇଥିଲେ। ଏହାକୁ ନେଇ କମିଟିର ସଭାପତି ଅଗ୍ରିମ ଦେଇଥିବା ଆଡ଼ଭାନ୍ସ ଟଙ୍କା ଫେରାଇ ଦେବାକୁ ନାଣ୍ଡୁ ବାବୁଙ୍କୁ କହିଥିଲେ। କିନ୍ତୁ ଆଡ଼ଭାନ୍ସ ଟଙ୍କା ଫେରାଇବା ବଦଳରେ ମାଲିକ, ମେନେଜର ମିଶି ବେଶ କିଛି ଦିନ ଧରି ଲୁଚାକାଳୀ ଖେଳି ଚାଲିଥିଲେ। ବିଭିନ୍ନ ଆଳ ଦେଖାଇ ଖସି ଯାଉଥିଲେ. ତେବେ ଆଜି ତୁଳସୀ ଯାତ୍ରା ପାର୍ଟି ବାଲିଆପାଳରୁ ଯାତ୍ରା ସାରି ଫେରୁଥିବା ବେଳେ ଖବର ପାଇ ବସ୍ତା ଯାତ୍ରା କମିଟି ପକ୍ଷରୁ ବସ୍ତା କୁଡ଼ିଆ ପୋଲ ନିକଟରେ ଗାଡି ଗୁଡିକୁ ଅଟକ ରଖାଯାଇଛି। ଦେଇଥିବା ଆଡ଼ଭାନ୍ସ ଟଙ୍କା ଫେରସ୍ତ ନହେବା ପର୍ଯ୍ୟନ୍ତ ତୁଳସୀ ଗଣନାଟ୍ୟର ସବୁ ଗାଡ଼ି ଅଟକ ରହିବ ବୋଲି କମିଟିର ସଭାପତି କହିଛନ୍ତି।

Leave a Reply

Your email address will not be published. Required fields are marked *