ଚାଲୁଛି କାମ, ଧସିଯାଉଛି ରାସ୍ତା ! ନିମ୍ନମାନର କାମକରି ହରିଲୁଟ କରୁଛି ଠିକାଦାର ! କାହିଁକି ଚୁପ ବସିଛନ୍ତି ଅଧିକାରୀ?

ସୋର, (ନୀଳାଦ୍ରୀ ନ୍ୟୁଜ୍ ) : ଚାଲୁଛି କାମ, ଧସି ଯାଉଛି ରାସ୍ତା। ନିମ୍ନମାନର କାମ ହୋଇଥିବାରୁ ୩ମାସ ଯାଉ ନାହିଁ ରାସ୍ତା କାର୍ଯ୍ୟ। କେଉଁଠି ଫାଟି ଆଁ କଲାଣି ତ ଆଉ କେଉଁଠି ଧସି ଗଲାଣି ? ବିଭାଗୀୟ ଅଧିକାରୀ ମାନେ ଘଟଣା ସ୍ଥଳକୁ ଯାଉ ନଥିବାର ଅଭିଯୋଗ ଆସିଥିବା ବେଳେ ଠିକାଦାର ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ନିଜକୁ ସର୍ବେ ସର୍ବା ଭାବି କାର୍ଯ୍ୟ କରୁଛନ୍ତି। ଯାହା ଫଳରେ ରାସ୍ତା ଧସି ଯାଉଛି ବୋଲି ଅଭିଯୋଗ ଆସୁଛି। ଆମେ କହୁଛୁ ୨୦୨୨ ମସିହାରେ ବିଜୁସେତୁ ଯୋଜନାରେ ପୂର୍ବତନ ବିଧାୟକ ପର୍ଶୁରାମ ଧଡ଼ା ପୋଲ ଏବଂ ରାସ୍ତା କାର୍ଯ୍ୟ ପାଇଁ ଧଡ଼ା ଶୁଭ ଦେଇଥିଲେ। ହେଲେ ଆଜି ଯାଏ ଏହି କାର୍ଯ୍ୟ ଶେଷ ହୋଇପାରିଲା ନାହିଁ।

ଠିକାଦାର ଜଣଙ୍କ ନିମ୍ନମାନର କରି ଟଙ୍କା ଆତ୍ମସାତ କରୁଥିବାର ଅଭିଯୋଗ ହେଉଥିବା ବେଳେ ସବୁ ଜାଣି ଆରଡ଼ି ବିଭାଗ ପିସି ନେଇ ଚୁପ ବସି ଯାଇଛନ୍ତି। କେବଳ ଏତିକି ନୁହେଁ ସ୍ଥାନୀୟ ରାଜନେତା ମଧ୍ୟ ଠିକାଦାରଙ୍କ ପାଖରୁ ଟଙ୍କା ନେଇ ଚୁପ ବସିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଯଦି ଠିକ କାର୍ଯ୍ୟ ହେଉଛି ତାହା ହେଲେ କାହିଁକି ୩ମାସ ଯାଉ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକାଦାର ଜଣଙ୍କ ଏମିତି ନିମ୍ନମାନର କାମ କରିଛି ଯେ କାମ ଶେଷ ହେବାକୁ ୩ ମାସ ନପୁରୁଣୁ ପିଚୁ ରାସ୍ତା ଧସିଯିବା ସହିତ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ନିମ୍ନମାନର କାମ ହୋଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ବ୍ଳକରେ। ସୂଚନା ମୁତାବକ ସୋର ବ୍ଲକ୍ ସିଙ୍ଗଖୁଣ୍ଡା ପଞ୍ଚାୟତ ବୃନ୍ଦାଦେଇପୁର ଠାରୁ ଗୁଜଡିହା ରାସ୍ତାର ବଉଳା ନାଳ ଉପରେ ସେତୁ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସୋର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ୧ କୋଟି ୭୮ ଲକ୍ଷ ୯୮ ହଜାର ଟଙ୍କା ବ୍ୟୟରେ ୩୧/୩/୨୦୨୨ ତାରିଖରେ କାମ ଆରମ୍ଭ କରାଯାଇ ୩୦/୧୨/୨୦୨୨ ତାରିଖରେ ଶେଷ କରାଯିବାର ଥିଲା। ହେଲେ ଆଜି ଯାଏ ଶେଷ ହୋଇପାରି ନାହିଁ। ଏପରି ନିମ୍ନମାନର କାମ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଉକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ଏନେଇ ସୋର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ତାପସ କୁମାର ସେଠୀଙ୍କୁ ପଚାରିବାରୁ ଏବେବି କାମ ବାକି ରହିଛି। ଯେଉଁ ସ୍ଥାନରେ ରାସ୍ତାର ଏପରି ଅବସ୍ଥା ହୋଇଛି ତାହା ତୁରନ୍ତ ମରାମତି କରିବୁ ବୋଲି କହିଥିବା ବେଳେ ଆର. ଡ଼ି ଏସ୍.ଡି. ଓ ଅଣାକାର ଜେନାଙ୍କୁ ପଚାରିବାରୁ ନୂଆ କରି ଆସିଥିବାରୁ ଏ ସମ୍ପର୍କରେ ଜାଣିନଥିବା କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ ରାସ୍ତା ଏବଂ ପୋଲ ନିର୍ମାଣ ସମୟରେ ଘଟଣା ସ୍ଥଳକୁ କାହିଁକି ଯାଉ ନଥିଲେ ବିଭାଗୀୟ ଅଧିକାରୀ। ଯଦି ଯାଇ ଥାନ୍ତେ ତାହା ଏପରି ଘଟଣା ଘଟି ନଥାନ୍ତା। ତେବେ ବାଲେଶ୍ଵର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଥିବା ବେଳେ ଉପରିସ୍ଥ ଅଧିକାରୀ ଏହି ଘଟଣା ତଦନ୍ତ କରି ଠିକାଦାର ପ୍ରତୀକସ୍ମିତ ନାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।

Leave a Reply

Your email address will not be published. Required fields are marked *