ଆଧାପନ୍ତିଆ ଅବସ୍ଥାରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ, ଶୁଣୁ ନାହାନ୍ତି ବିଭାଗୀୟ ଅଧିକାରୀ ! ଖଇରା

ଖଇରା(ନିଳାଦ୍ରୀ ନ୍ୟୁଜ୍) : କେବେ ମିଳିବ ବିଶୁଦ୍ଧ ପାନୀୟ ଜଳ ? କେବେ ସରିବ ଅଧୁରା କାର୍ଯ୍ୟ? ସୂଚନା ଅନୁଯାୟୀ କୋଟି କୋଟି ଟଙ୍କା ବ୍ୟୟରେ ଖଇରା ବ୍ଳକରେ ୫ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ମେଗା ପାନୀୟଜଳ ପ୍ରକଳ୍ପ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ୭ଟି ପଞ୍ଚାୟତକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ମଞ୍ଜୁର ହୋଇଥିଲା । ଘରେ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ୮୩କୋଟି ୪୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ପ୍ରକଳ୍ପକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଆରଡବ୍ଲ୍ୟୁଏସଏସ ଅଧିକାରୀ ଓ ଠିକା ସଂସ୍ଥାଙ୍କ ବେପାରୁଆ କାର୍ଯ୍ୟଧାରା ପ୍ରକଳ୍ପ ସମ୍ପୂର୍ଣ୍ଣରେ ଅନ୍ତରାୟ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଠିକା ସଂସ୍ଥାର ଅଧପନ୍ତରୀଆ କାମ ଯୋଗୁଁ ପ୍ରକଳ୍ପ ଶେଷ ହୋଇପାରୁନି। ସବୁ ଜାଣି ମଧ୍ୟ ବିଭାଗୀ ଅଧକାରୀ ଆଖି ବୁଜି ଦେଇଥିବା ଅଭିଯୋଗ ଆସିଛି। ତାହା ସହ ଯାହା ବି କାମ ହୋଇଛି କିଛି କିଛି ସ୍ଥାନରେ ଫାଟି ପାଣି ଲିକେଜ କରୁଥିବା ଦେଖିବାକୁ ମିଳିଛି। ଠିକାଦାର ନିମ୍ନ ମାନର କାର୍ଯ୍ୟ କରୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଚାନ୍ଦା ନେଇ କାମକୁ ଦେଖି ନଦେଖିଲା ଭଳି ରହୁଛନ୍ତି।

କିଛି ମାସ ପୂର୍ବରୁ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା କାର୍ଯ୍ୟ ତଦନ୍ତରେ ଯାଇଥିବା ବେଳେ ବିଭାଗୀୟ ଅଧିକାରୀ ଏବଂ ଠିକା ସଂସ୍ଥାର କର୍ମକର୍ତ୍ତା ମାନେ ଜାନୁଆରୀ ପୂର୍ବରୁ କାର୍ଯ୍ୟ ଶେଷ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ଯାଏ କାର୍ଯ୍ୟ ଶେଷ ହୋଇପାରୁ ନାହିଁ। ଯାହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ ପାଇଛି। ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବା ବେଳେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କର୍ଣ୍ଣପାତ କରୁ ନାହାନ୍ତି। ତେବେ ଅଭିଯୋଗ ପାଇ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ ସହ ତୁରନ୍ତ ଶେଷ କରିବାକୁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଗ୍ରୀଷ୍ମଋତୁ ପୂର୍ବରୁ ଜଳକଷ୍ଟ ଦୂର ପାଇଁ ତୁରନ୍ତ ମେଗା ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ୭ଟି ପଞ୍ଚାୟତର ଲୋକେ ଦାବି କରିଛନ୍ତି। ଯଦି ଗ୍ରୀଷ୍ମଋତୁ ପୂର୍ବରୁ ବିଶୁଦ୍ଧ ପାନୀୟ ଜଳ ନମିଳେ ତାହାଲେ ସ୍ଥାନୀୟ ଲୋକମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *